Unknown

 

 

 

 

 

 

 

 

 

ବିଦେଶ ଅନୁଚିନ୍ତା

ଶ୍ରୀ ବ୍ରଜନାଥ ବଡ଼ଜେନା

 

(ରାଗ-ଆଷାଢ଼ ଶୁକ୍ଳ)

 

ପ୍ରବେଶ ପ୍ରବଳ ଜଳଦ କାଳ

ପ୍ରକାଶେ ଆକାଶେ ମୁଦିର ମାଳ

ଫୁଟିଲେ ତମାଳ ମାଳତୀ ଜାଳ

କଦମ୍ବ କଦମ୍ବ କଳୀ ମଞ୍ଜୁଳ

ବକ ମାଳ ମାଳ

ଉଡ଼ିଲେ ପ୍ରକାଶି ଧବଳ ବଳ ।୧।

ମଣ୍ଡିଲା ଗଗନେ ଇନ୍ଦ୍ର କୋଦଣ୍ଡ

ଖଣ୍ଡିଲା ପ୍ରଭା ଗୁଣେ ଶୋଭାକାଣ୍ଡ

ତଡ଼ିତ଼ର ଝଟ ଝଟ ଝଟକ

ନୟନ ପୁଟ ଅଟକ ମଟକ

ସେ ଘଡ଼ିକି ଘଡ଼ି

ନଗାଇଛି ଘନ ଘଡ଼ିକି ଘିଡ଼ି ।୨।

ଗଡ଼ି ଗିରିବର ପରୁଁ କବନ୍ଧ

ବୁଡ଼ି ପଡ଼ୁଅଛି କେଦାର ବନ୍ଧ

ରଡ଼ି ଛାଡ଼ିବାରୁ ଭେକସମୂହ

ସଢ଼ି ଯାଉଅଛି ବିରହୀ ଦେହ

ଲୋଡ଼ି କେ ପ୍ରିୟାକୁ

କୋଡ଼ି ହୋଏ ହାଥ ଯୋଡ଼ି କେ ବୁକୁ ।୩।

ନିର୍ବନ୍ଧେ ରୁନ୍ଧି କଲା ଅନ୍ଧକାର

ସକଳ ଦିଶିଲା କୃଷ୍ଣ ଆକାର

ବିଜୁଳି ଚହଟ ସୁପୀତପଟ

ଡ଼ାହୁକ ଡ଼ାକ ନୁପୁର ପ୍ରକଟ

ସଂଯୋଗୀ ଏ ଭାବି

ପାଇଲେ ସେ କାମ ମୋକ୍ଷ ପଦବୀ ।୪।

ପରବାସେ କଉଁ ରସିକବର

ବରବରନୀ ଭାବରେ କାତର

ତରଳ ହୋଇ ଦୁଷ୍ଟ ଦର୍ପକରେ

କରେ ଗୁଣମଣି ଗୁଣ ଚିତ୍ତରେ

ଡ଼ରେ ବୋଲେ ବାଳା

ବାଳାର୍କ ଅଧରୀ ମୋ ପ୍ରେମଶୀଳା ।୫।

ଶୀଳା ଠାରୁ ମୋର ହୃଦ କର୍କଶ

କଷଣ ଦେଲି ଯା ତୋତେ ଅଶେଷ

ସେ ସମ୍ପତ୍ତି ମୋତେ ରୁଚିଲା ନାହିଁ

ନାହିଁ ବିବେକ ଥିଲେ ମୋ କିପାଇଁ

ପାଇ ତୁ ବିମନ

ମନସିଜ ଶରେ ହୁଅନ୍ତୁ ଦୀନ ।୬।

ଦିନ ଦିନକ କୁତୁକ ତୋର ତ

ରତନ ପରାଏ ଅମୂଲ୍ୟ ମିତ

ମିତ୍ରତା ଭାବନା କଲେ ମନର

ନରହଇ ଧୃତି ରତି ମାତର

ତରଳ ନୟନେ

ଅନେକ ଭାବ ଦେଉ ପ୍ରତିଦିନେ ।୭।

ଦିନେ ବୋଇଲିରେ ରସ ଉଦୟା

ଦୟାଶୀଳା ତୁ ମୋ ପରାଣପ୍ରିୟା

ପ୍ରିୟାନୁରାଗ ରୀତି ଜାଣୁ ତୁହି

ତୁ ହିମାଂଶୁ ଚାରୁ ଦର୍ପଣ ମୁହୀଁ

ମୁହିଁ ତୋ ଚାକର

କରମ ଫଳ ଅଟୁ ତୁ ମୋହର ।୮।

ହରଷ ମନେ କଲେ ତୁ ସମ୍ମତି

ମତି ସତୀ ଆଜ କିଛି ମାଗନ୍ତି

ଗତି ତ ତୋ ବିନା ନାହିଁ ସଂସାରେ

ସାରେ ଭଗତି ବିଚାର ଚିତ୍ତରେ

ତରେ ଦେବି ଭାଷ

ଭାସଇ ନାହିଁ ଯେମନ୍ତେ ମୋ ଭାଷ ।୯।

ଭାସରୋଜ ନେତ୍ରି ମୋ ଏ ଭଙ୍ଗିରେ

ଗୀରେ ସୁଧା ସିଞ୍ଚି କହିଲୁ ଧୀରେ

ଧୀରେଶ ହୋଇ କିମ୍ପା ଏତେ ପରି

ପରିଚାରିକି କହ ପର କରି

କରିବା ମାନସେ

ନ ସେବିଛି ମୁଁ ପାଦେ କେଉଁ ଆସେ ।୧୦।

ଆସେ କେହି ଏ ନିରାଶ ଭାଷ ତ

ସନ୍ତତରେ ଆଜ୍ଞାକାରୀ ମୁଁ ସତ

ସତ କହୁଛି ବିକିଛି ଜୀବନ

ବନ ତୁମ୍ଭେ ମୁଁହି ମୀନ ସମାନ

ମାନସେ ଘେନିବା

ନିବାରିଛି କି ମୁଁ ମାଗିଲେ ଅବା ।୧୧।

ଅବାମ ବଚନ ଶୁଣି ଧନୀର

ନୀରଜାକ୍ଷୀକି ବୋଇଲିରେ ଦର

ଦରହାସୀ ତେବେ ପରା ମୋ ଆନ

ଆନନ୍ଦରେ ଦେବୁ ମାଗିଲା ଧନ

ଧନ ତୁ ମୋ ଜୀବ

ଯିବକି ଜୀବନେ ଥିଲେ ଏ ଭାବ ।୧୨।

ଦିନେ ଯେ ବେନିଜନେ ଜଗତୀରେ

ଘନ ଚାହିଁ ଛାଇଁ ଗଜ ଗତିରେ

ଏହି କାଳେ ଇନ୍ଦ୍ରଧନୁ ଉଇଁଲା

ଛଇଳା ତହିଁ ତୋ ନେତ୍ର ପଇଲା

ଶ୍ରୀମୁଖ କମ୍ପାଇ

ବୋଇଲୁ ଏ ତିନି ବର୍ଣ୍ଣ କିମ୍ପାଇଁ ।୧୩।

ମୁଁ ବୋଇଲି ହୋଇଥିବ ଏମନ୍ତ

ବିରହୀ ନାଶ ପାପ କଳା ବ୍ୟକ୍ତ

ମୁନିଜନେ କ୍ରୋଧ ଅରୁଣ ଭାବ

ପୀତ ବରଣ ତା ଦେହ ସ୍ୱଭାବ

ପ୍ରାଣୀ ହିଂସା ବଳେ

ଗୁଣ ଥିଲେହେଁ ଦିଶୁନାହିଁ ତିଳେ ।୧୪।

ଶୁଣି ବୋଇଲୁ ସେହି ତୋ ପ୍ରମାଣ

ମୋ ମନେ ଏମନ୍ତ ହେଉଛି ପୁଣ

ସୁବର୍ଣ୍ଣ ଧନୁ ଯତ୍ନେ ରଞ୍ଚି ବିହି

ସଜୀବ କରି ଇନ୍ଦ୍ରେ ଦେଲା ନେଇ

ତା ଆଞ୍ଚି ନ ପାରି

ଘଷାଇ ଦେଲା ସୁରଦଣ୍ଡଧାରୀ ।୧୫।

ବହି ରକତ ସେ ରଙ୍ଗ ବ୍ୟକତ

ସେ କିବା ପାଖ କଳା ହୋଏ ଖ୍ୟାତ

ଆରବର୍ଣ୍ଣ ତାର ସହଜ କାନ୍ତି

ଭ୍ରାତସୁତ ତା ଯେଣୁ ରତିପତି

ତାକୁ ଦେଲା ଶକ୍ର

ତେଣୁଟି ମୋହୁଛି କାମୁକ ଚକ୍ର ।୧୬।

ଶୁଣି ବୋଇଲିରେ ମୋ ଗଳା ହାର

ଏଡ଼େ ଗଭୀର ହୃଦୟ କାହାର

କଉଁ କଥା ତୁ କି ନ ଜାଣୁ ସହି

ଏକା ମୋ ଦୁଃଖ ସିନା ଘେନୁ ନାଇଁ

ବୋଇଲୁ କାହିଁକି

ନୋହିବ ସାରେଣି କରିଛଟିକି ।୧୭।

ଦିନେ ଚାଟୁ କରି ସହି କରାଇ

କୁଚେ ପତ୍ରାବଳୀ ଲେଖନ୍ତେ ମୁହିଁ

ଲାଜହାସ ମିଶା କରି ଶ୍ରୀମୁଖ

ଚାହିଁ ନ ଚାହିଁ ନ ଦେଲୁ କି ସୁଖ

ମୁଁ ଯତନୁ ମଠ

କରନ୍ତେ ଧନକୁ ପଡ଼ିଲା କଷ୍ଟ ।୧୮।

ବୋଇଲି କାହିଁକି ହୋଉଛୁ ତୋରା

ଦେଖିବୁ ଲେଖିବି କରି କି ତୋରା

ନୂଆ ସେବା ମୋର ଲାଗିଛି ଧନ

ବୁଝି କରିବୁ ପରା ବରତନ

ସେବକ ଲୋକର

ଏହିକାଳେ ଦଢ଼ିଥିଲେ ସୁନ୍ଦର ।୧୯।

ନିର୍ମଳ ଚାରୁ ଚିତ୍ର କୁଚେ ଦେଖି

ଖେଳାଇ ଶ୍ୟାମଳ ଚଞ୍ଚଳ ଅକ୍ଷି

ଅନଗୃହେ ମୋତେ କହିଛୁ ଯାହା

ତନୁ ଥିଲେ କି ପାଶୋରିବି ତାହା

ସହି ସେହି ରାତି

ପଦେ ଦେଲୁ ସୁର ପଦ ସମ୍ପତ୍ତି ।୨୦।

ଦିନେ ନିଶିରେ ନଭଦେଶ ଚାହିଁ

ଅନେକ ତାରା ଦେଖି ତୋରାଦେହି

ବୋଇଲୁ ଏଥୁ କାହା କାନ୍ତ ଶଶି

ଜାଣିମା କେହି କାହାର ସେ ରସି

କି ଶଠ ପୁରୁଷେ

ଅବଳା ସିନା ଭଣ୍ଡାନ୍ତି ବିଶ୍ୱାସେ ।୨୧।

ବୋଇଲି ବିନ୍ଧୁ ଯେ ନୋହେ ଏମନ୍ତ

ସବୁ ଫୁଲ ତ ଚୁମ୍ବେ ମଧୁ ବ୍ରତ

ତଥାପିହିଁ ତାର ପଦ୍ମ ପରାଣ

ରୋହିଣୀ ଚନ୍ଦ୍ରର ଏରୁପେ ଜାଣ

କହିଲୁ ଭ୍ରମର

ପରି ଜାଣଇ ଯେ ତୁମ୍ଭ ବେଭାର ।୨୨।

ହେଜି ବୋଇଲି କହିଲି ମୁଁ ସିନା

ଏପରି ନୁହଇ ସେ ଚନ୍ଦ୍ରାନନା

ଚାତକ ଘନ ପରା କାନ୍ତା କାନ୍ତ

ବୋଇଲୁ ଘନ ବିନା ଚାତକ ତ

ନରଖଇ କାଏ

ଚାତକ ବିନା ଘନର କି ଯାଏ ।୨୩।

ପୁଣି ବୋଇଲି ବନ୍ଧୁ ଏ ନୋହିଲା

ଆଉ କି କହ ବୋଇଲୁ ଛଇଳା

ନ ଆସିଲା ମୋତେ ପ୍ରତି ଉତ୍ତର

ଦୁଃଖେ ବୋଇଲୁ ଧିକ ନାରି ଛାର

ହେଲା ଯାହା ବଶ

ସେ ନ ଘେନଇ ଏହା ଦୁଃଖ ଲେଶ ।୨୪।

ଅନାଇ ବିରସ ମୁଖ ତୋହର

ସଂସାର ଅନ୍ଧାର ହେଲା ମୋହର

ଝଟତି ଯାଇଁ ଚରଣ ଧଇଲି

ମୁଁ ଯେ ତୋର ଦାସ ବୋଲି ବୋଇଲି

ମୁଁ ପିଣ୍ଡ ତୁ ଜୀବ

ନ ଧର ଆନ କାନ୍ତା କାନ୍ତ ଭାବ ।୨୫।

ହସି ବୋଇଲୁ ନଜାଣ କି ବଟି

ଧରା ପଡ଼ନ୍ତି ନାହିଁ ଯେ କପଟୀ

ବୋଇଲି ଧନ ତୁ ବଡ଼ ନିର୍ଦ୍ଦୟା

ଗଲାଟି ଜୀବନ ଛାଡ଼ ଏ ମାୟା

ଚତୁରୀ ସିହାଣୀ

ଦେଇ ନୋହିଲା ତୋତେ ପ୍ରତିବାଣୀ ।୨୬।

ଦିନେ ତୋ କୁଚେ ବୋଳିଲି ଚନ୍ଦନ

ଆଲିଙ୍ଗନରେ ତା ପରାଣ ଧନ

ଠେସି ଠେସି ମୋ ଉରେ ଲଗାଇଲୁ

କେ କାହା ହିତ ନ ଜାଣେ ବୋଇଲୁ

କେ ବୋଲେ ଦେବାକୁ

ଦଣ୍ଡେ ନ ରଖି କେ ବୋଲେ ନେବାକୁ ।୨୭।

ମୁଁ ବୋଇଲି ତୋର ଛଡ଼ା ଚନ୍ଦନ

ନଗାଇଲି ସିନା ମନରେ ଘେନ

ବୋଇଲୁ ଯାହା ଦିଅ ତାହା ନିଅ

ଅଧିକ ମୋତେ ଅକୀରତି ଦିଅ

ମୁଁ ବୋଇଲି ତେବେ

ଏ ରୁପେ ଦିନେ ନ କରିବି ଏବେ ।୨୮।

ବୋଇଲୁ ହେଲାଟି ମୂଳ ଏ କଥା

ଛଡ଼ା ଗନ୍ଧ ନ ଘେନିବ ସର୍ବଥା

ହେଜି ବୋଇଲି କି କରୁଛୁ ସହି

ମାର ସିନ୍ଦୁରେ କି ଦେବୁ ପକାଇ

କିମ୍ପା କି ବୋଇଲୁ

ହସି ଓଷ୍ଠେ ଦନ୍ତ ଭିଡ଼ି ଧଇଲୁ ।୨୯।

ଦିନେ ତୋ ପାଦେ ଲେଖିଲି ଅଳତା

ବୋଇଲି ଏ ମୋ ଭାଲେ ହେବ ଚିତା

ବୋଇଲୁ ସେ ଯେ ତ ଲିଭିବ ନାହିଁ

ହେଜି ବୋଇଲି ହୋଇ ହୋଇ ସହି

ନହକେ ମୁଁ ହୀରା

ହରାଉଥିଲି ତ ରମଣୀ ହୀରା ।୩୦।

ବୋଇଲୁ କହି ଯା ତୁମ୍ଭେ ନ ରଖ

ଏକଥା କେତେ ହେଲାନି ପ୍ରତ୍ୟକ୍ଷ

ବୋଇଲି ମୁଁ କହି ନ କଲି ଯେବେ

ଭାବେ ତୁ ଏଥର କରିବୁ ତେବେ

ବୋଇଲୁ ବାନ୍ଧବି

ବୋଲିବ ଯଉଁ କଥା ତା କରିବି ।୩୧।

ଦିନେ ଦର୍ପଣେ ଦେଖୁଥିଲୁ ମୁଖ

ମୁ ଯାଇ ବୋଇଲି ସୂମୂଖି ଦେଖ

ଦର୍ପଣ ଶୋଭା ଯେ କରୁଛି ମ୍ଳାନ

ମୋ ଧୃତି ଭଲେ କି ରଖେ ସେ ଘେନ

ବୋଇଲୁ ଜୀବନ

ଧୃତି ରହିବି ତ ହେଲେ ସେ ମ୍ଳାନ ।୩୨।

ଦିନେ ବୋଇଲି କୁଚେ ଦେଇ ହାତ

ପଥର ଠାରୁ ଏ କଠୋର ମିତ

ଭଲା ମୋ ଦେହ ସହେ ଏହା ଦାଉ

ଶୁଣି ବୋଇଲୁ ଜାଣିଲି ଯେ ହଉ

ଏହି ଘେନି ସିନା

ନଖେ କରୁଛି ନିତି ଚେନା ଚେନା ।୩୩।

ଏଥୁ ଯେବେ ହେବ ହୃଦ ନିଷ୍ଠୁର

ଏଣୁ ଏ ସ୍ୱରସ ନୁହେ ବିଚାର

ମୁଁ ବୋଇଲି ଆରେ ଗୁଣ ଗଉରୀ

କେଡ଼େ ଟାଣ ଅଟେ ମନ୍ଦର ଗିରି

ତା ଯୋଗେ ଟି ଚେତ

ସିନ୍ଧୁରୁ ଜନ୍ମିଲେ ରମା ଅମୃତ ।୩୪।

ତହିଁକି ବୋଇଲୁ ନିନ୍ଦ ତ ଆଗେ

ଗୋଳିଆଅ କିମ୍ପା କଥା ସରାଗେ

ଜାଣିଲି ଉଣାକଲ ନିଜ ସ୍ନେହ

ହୃଦେ ଲାଗିବନି କୋମଳ ଦେହ

ଏ ଟାଣ ପଥରେ

ନରସ କି ସୁଖ ଅଛି ଏଥିରେ ।୩୫।

ଦିନେ ତୁ ବାସ ପିନ୍ଧୁଁ ଚନ୍ଦ୍ରମୁହିଁ

ମୁହିଁ କି ଯୋଗେ ପାଶେ ହେଲି ଯାଇଁ

ଯାଇ କରଜା ଲାଜେ ତତପର

ପରକାଶେ ଘନ ଜଘନ ଉର

ତା ରମଣୀବର

ବରପୁଣ୍ୟେ ନେତ୍ର ଦେଖିଲା ମୋର ।୩୬।

ମୋ ରମଣି ଦିନେ ବୋଇଲି ଆଜ

ଆଜନ୍ମ ସୁଖୀ କରିବି ମୁଁ ସଜ

ସଯତନ କରି ବେଣୀ ବନ୍ଧାଇ

ଧଇଲି କିଙ୍କିଣି ଏମନ୍ତ କହି

କହିଲୁ ଭବିଷ

ବିଷୟ ବିନା ଥାଇ ଆଉ କିସ ।୩୭।

କିସଳୟ ଓଷ୍ଠେ ହାସ ସୁଷମ

ସମ୍ମତି ଜଣାଇଲା ମନୋରମ

ରମଣୀ ସେ ଦିନ ପୁରୁଷାୟିତ

ଇତର ସୁଖ କି ହେଲା ନିମତ

ମିତ ଜାଣେ ମନ

ମନସିକ ହିଁ ଜାଣିଅଛି ପୁନ ।୩୮।

ପୁନର୍ଭବ ବସିଥିଲୁ ମଜାଇ

ଯାଇ ମୁଁ ପାଶେ ବୋଇଲି ରେ ସହି

ସହି ନୋହିବଟି ମୁନ ନ କର

କରକଶ କୁଚ ସିନା ତୋହର

ହରମୋହିନୀରେ

ନିରେଖି ଚାହିଁବୁ ନେତ୍ର ପ୍ରାନ୍ତରେ ।୩୯।

ଦିନେ ବସିଛୁ ପୁଷ୍ପ କାଳ ପାଇ

ମିଳନ୍ତେ ମୁଁ ଅପସରିଲୁ ସହି

ପ୍ରଫୁଲ୍ଳ ମଲ୍ଲୀ କଳୀକୁ ଚାହିଁଲୁ

ଅଧରୁ ତାମ୍ବୁଳ ବୋଳ ପୋଛିଲୁ

ଚାହିଁ ମୁଁ କାତର

ବୋଇଲି ସଇଲି କାମେ ଏଥର ।୪୦।

ଚାହିଁ ତୋ ମୁଖ କହିଲଏି ବିମନେ

କେହି ବଞ୍ଚିବିଟି ଏ ତିନି ଦିନେ

କାମ ତ ଜୀବନ ରଖିବ ନାହିଁ

ରତି ପଛେ ମୋତେ ନଦିଅ ତୁହି

ଆଲିଙ୍ଗନ ବିଧି

ଛାଡ଼ି ତ ନ ପାରିବି ରସନିଧି ।୪୧।

କହିଲୁ କାହିଁ ଶିଖିଛ ଏ ମାନ

ଜାଣ ପରା ଶାସ୍ତ୍ର ପୁରାଣ ମାନ

ଅଘଟଣ କଥା କହ ଯେ ଅତି

ଅଜାଣ ସିନା ଆମ୍ଭେ ସ୍ତିରୀ ଜାତି

ବୋଇଲି ବଲ୍ଲଭା

ନିୟମ ରଖି ଦିଏ କି ତୋ ଶୋଭା ।୪୨।

ତୋ ରୂପ ଚାହିଁ ହୋଉଥାଇ ମନେ

ମିଶି ଯାଆନ୍ତି ଧନ ଅପଘନେ

ଚାହିଁବାକାଳେ ଯା ପଡ଼େ ନିମିଷ

ଅକ୍ଷିରେ ଅରୀ ପରି ହୋଏ ରୋଷ

ମୁଁ ବିଚାରୁ ଥାଇ

ସ୍ଥାନ ନଥାନ୍ତା ମୋ ଧନ ନଥାଇ ।୪୩।

ଯେତେବେଳେ ତୁ ହସି କହୁ ଭାଷା

ଫୁଲୁଥାଇ ତିଳ ପ୍ରଫୁଲ୍ଳ ନାସା

ଅପାଙ୍ଗ ଚଳୁଥାଇ କର୍ଣ୍ଣ ସୀମା

ଭୁରୁ ନାଟକୁ ନଥାଇ ସୁଷମା

ପକ୍ୱ ବିମ୍ବାଧର

ତାମ୍ବୁଳ ରଙ୍ଗେ ସୁନ୍ଦରୁ ସୁନ୍ଦର ।୪୪।

ଡମରୁ ଜିଣି ତୋ କଟୀ ସରୁଆ

ଚାରୁ ଉରଜ କନକ ଫରୁଆ

ସରୁ ଅମ୍ବର ଯୋଗେ ଆଡ଼ମ୍ବର

ହେମଗିରି ଯଥା ହେମେ ସୁନ୍ଦର

ମୋ ନୟନ କାରା

ମାର ରଣଜୟ ତୋରା ନାଗରା ।୪୫।

ଚାଲି ଆସୁଥାଉ ଧିରେ ପ୍ରମୋଦେ

ବାସବ ପଦ ଦେଉ ପଦେ ପଦେ

ନାଦ କରୁଥାଇ ବଳା ନୁପୁର

ବାଦ ନଗାଏ ମଦନର ମୋର

ହୃଦ ଜାଣେ ତାହା

ମୁଦ ଉପରେ ମୁଦ ହୋଏ ଯାହା ।୪୬।

କେତେକ ନାହାନ୍ତି ମହୀରେ ନାରୀ

କେତକୀ ଗୋରୀ ତୁ ତୋହରି ପରି

ସତେ କି ମୋର ଏ ବିଦେଶ ଯିବ

ରତେ କୀରନାସା ମୋତେ ତୋଷିବ

ପାତକୀ ମୁଁ ଅତି

ମୋତେ କି ବୁଦ୍ଧି ଦେଲା ଦେବପତି ।୪୭।

ବସାଇ କୋଳରେ ପ୍ରାଣଧନକୁ

ମିଶାଇ ହୃଦରେ ପୀନ ସ୍ତନକୁ

ରସାଇ ତାକୁ ଚାଟୁ ଗୀରେ କରି

ଖସାଇ ଦେଉଥାନ୍ତି ନୀବି ଧରି

ଭାଷା ଇଙ୍ଗିତରେ

ଭସାଇ ଭାସନ୍ତି ପୁଣି ସେ ତରେ ।୪୮।

ଈଷିତରେ ଟିପିଦେଲେ ମୁଁ ନଖେ

ଈଷିତରେ ଭାସି ମଦନ ସୁଖେ

ଅସିତ କେଶୀ ଉଠୁଥାନ୍ତା ଥରି

ମୁଁ ଶୀତରେ ଭିଡ଼ୁଥାଆନ୍ତି ଧରି

ଉଲ୍ଲସିତଭରେ

ନିଶି ତ ଖଟନ୍ତି ନାହିଁ ଭାବରେ ।୪୯।

ଶୋଇ ଥାନ୍ତା ଧନ ହୃଦଶେଯରେ

ଏବେ ଶୋଇଥିବ ମଦନ ଜ୍ଵରେ

ମଣ୍ଡି ଯାଆନ୍ତା ଶ୍ରୀଅଙ୍ଗ ସଜରେ

ମଣ୍ଡିବ ଏବେ ମାର ନାରାଜରେ

ମଳୟ ରଜରେ

ଶୋଇଥାନ୍ତା ଶୋଇଥିବ ରଜରେ ।୫୦।

ସୂଚୀର ପିନ୍ଧଇ କି ସୁଖେ ମଣି

ରୁଚିର ବେଣୀ ମଣିବ ତା ଫଣୀ

ସଞ୍ଚିଥିବ ତ ନେତ୍ରେ ଲୁହନୀର

ସୁଚିରସ ହେବ ବେଶ ଆହାର

ସୁଚିରସ ମନୁ

ସୁଚି ରସିକା କ୍ଷୀନ୍ନ ହେବ ତନୁ ।୫୧।

ହାସର ପୁର ଅଟେ ଯେ ଅଧର

ଧୂଷର ବିମ୍ବ ହୋଇ ତାର ତାର

ସୁସ୍ୱର ଜିଣଇ ଯା କଳକଣ୍ଟ

ନ ସରୁଥିବ ବାଣୀ କି ସେ କଣ୍ଠ

ସଂସାର ମୋହିନୀ

ଆଶ ରଖିଥିବ ମୋଠାରେ ଧନୀ ।୫୨।

କରିବେ କଉଁଦିନ ଉମାଦେବୀ

କରୀବରଗତି ପାଶକୁ ଯିବି

ଧରି ବସିବି କୋଳପରେ ତାକୁ

ଗିରିବର ସ୍ତନେ ଯୋଡ଼ି ଉରକୁ

ହରିବି ଏ ରାତି

ଜୂରିବି ମାରଭଣ୍ଡାର ସମ୍ପତ୍ତି ।୫୩।

ବହୁତ ବିନୟେ କହିବି ଯେଣୁ

ସେହି ତ ସୁରସା ଦ୍ରବିବ ତେଣୁ

ମାନ ତ ଆରମ୍ଭିଥିବ ସୁସ୍ନେହା

ମୁଁ ନତ ହେବାରୁ ଛାଡ଼ିବ ତାହା

କହିବ ଏତିକି

ଏହି ବଡ଼ପଣ ଅର୍ଜିଲ ନିକି ।୫୪।

ଦାହ କନକ କାନ୍ତି ପରା ବୋଲ

ଲୁହାକୁ ସେ ଏବେ ହୋଇଛି ତୁଲ

କାହାକୁ କହ ମୋତେ ଦେଇଗଲ

ଏହା କୃପାନିଧି ହୋଇ ତ କଲ

ଯାହାକୁ ଡ଼ରଇ

ତାହା କୁଟେ ଦେଲ କି ଦୋଷ ବହି ।୫୫।

ଅନୁଚିନ୍ତା ଏ ଛପନ ପଦିଆ

ରସିକ କୁମୁଦ ଚନ୍ଦ୍ରଉଦିଆ

ରସିକା ତାରାକା ପ୍ରମୋଦକାରୀ

ନାଗରେ ବୁଝ ଏହା ସୁଖ କରି

ବ୍ରଜନାଥ ଚିନ୍ତି

ବ୍ରଜନାଥ କବିବର ବଦତି ।୫୬।